ଆଜି ରଜ ସଂକ୍ରାନ୍ତି
ଆଜି ହେଉଛି ରଜ ସଂକ୍ରାନ୍ତି । ରଜ ଉତ୍ସବର ଦ୍ୱିତୀୟ ତଥା ପ୍ରମୁଖ ଦିନ । ଓଡ଼ିଶାର ଏହି ଲୋକପ୍ରିୟ ଗଣପର୍ବକୁ ନେଇ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଛି ଆନନ୍ଦ ଓ ଉଲ୍ଲାସର ପରିବେଶ । ପରମ୍ପରା, ସଂସ୍କୃତି ଓ ଭାଇଚାରାର ଅନନ୍ୟ ବାର୍ତ୍ତା ବହନ କରୁଥିବା ରଜ ପର୍ବ ପାଇଁ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ରଜ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ଜୀବନଶୈଳୀ ଓ କୃଷି ସଂସ୍କୃତିର ଏକ ନିଆରା ପରିଚୟ । ବିଶ୍ୱାସ ରହିଛି ଯେ, ଏହି ସମୟରେ ଧରିତ୍ରୀ ମାତା ଋତୁମତୀ ହୁଅନ୍ତି । ସେଥିପାଇଁ ଚାଷ କାମଠାରୁ ଆରମ୍ଭ କରି ମାଟି ଖୋଳିବା ଭଳି କାମକୁ ବାରଣ କରାଯାଇଥାଏ । ପ୍ରକୃତି ପ୍ରତି ସମ୍ମାନ ଓ ନାରୀତ୍ୱର ଗରିମାକୁ ଏହି ପର୍ବ ବିଶେଷ ଭାବେ ପ୍ରତିପାଦିତ କରେ । ରଜ ଆସିଲେ ଘରେ ଘରେ ପିଠାର ମହକରେ ମହକି ଉଠେ ପରିବେଶ । ପୋଡ଼ପିଠା, ମଣ୍ଡା, ଆରିସା, କାକରା ଭଳି ବିଭିନ୍ନ ପାରମ୍ପରିକ ପିଠା ପ୍ରସ୍ତୁତ କରାଯାଏ ।
