ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ, OSD ଭାବେ ନିଯୁକ୍ତ
ଯୌନ ନିର୍ଯାତନା ଅଭିଯୋଗ ମଧ୍ୟରେ ସୁଶାନ୍ତ ନାଥଙ୍କ ବଦଳି । ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ । ତାଙ୍କୁ ରାଜ୍ୟ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ବା OSD ଭାବେ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର । ରବିବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି ।ଜଣେ ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ସୁଶାନ୍ତ ନାଥ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଏହି ବଦଳି ହୋଇଛି । ୧୯୯୩ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ ଏପର୍ଯ୍ୟନ୍ତ ଓଡ଼ିଶାର ଜେଲ୍ ଓ ସଂସ୍କାରମୂଳକ ସେବା ବିଭାଗର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବଦଳି ପରେ ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଡକ୍ଟର ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସେ ବର୍ତ୍ତମାନ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ନିର୍ଦ୍ଦେଶକ ଅଛନ୍ତି । ଏହାସହ ଅତିରିକ୍ତ ଜେଲ୍ ଡିଜି ତଥା ସଂସ୍କାରମୂଳକ ସେବା ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ ।ତେବେ ସୁଶାନ୍ତ ନାଥଙ୍କ ବଦଳି ଏଭଳି ସମୟରେ ହୋଇଛି, ଯେତେବେଳେ ତାଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା ଜେଲର ସଙ୍ଗୀନ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଚୌଦ୍ୱାର ସର୍କଲ ଜେଲ୍ ରେ କାର୍ଯ୍ୟ କରିଥିବା ସମ୍ପୃକ୍ତ ମହିଳା ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତ ନାଥ ତାଙ୍କୁ ଅଫିସକୁ ଡାକି ଯୌନ ନିର୍ଯାତନା ଦେଇଥିଲେ । ଏହାସହ ଏକ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇବା ସହ କଥା ନମାନିଲେ କ୍ୟାରିୟର ଶେଷ କରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।
