ପ୍ରଦୂଷଣ ପାଇଁ ଦିଲ୍ଲୀରେ ଆଜିଠୁ ନୂଆ ନିୟମ
ଦିଲ୍ଲୀରେ ବଢ଼ୁଥିବା ଶୀତକାଳୀନ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନଭେମ୍ବର ୧ରୁ ରାଜଧାନୀରେ ଲାଗୁ ହେବ ଏକାଧିକ କଡ଼ା କଟକଣା ଲାଗୁ କରାଯାଇଛି । ପୁରୁଣା ଯାନବାହନ ଚଳାଚଳ ଉପରେ ରୋକ୍, ନିର୍ମାଣ କାର୍ଯ୍ୟ ବନ୍ଦ, ପାର୍କିଂ ଫି’ ଦ୍ୱିଗୁଣିତ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥାନ ଭଳି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ଫେବୃଆରୀ ୨୮ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ନିୟମ ଲାଗୁ ହେବ ।ପ୍ରଥମତଃ, ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜିକୃତ BS-IV କିମ୍ବା ତା’ଠାରୁ ପୁରୁଣା ନିର୍ଗମନ ମାନଦଣ୍ଡ ଥିବା ଯାନବାହନର ଚଳାଚଳ ଉପରେ କଟକଣା ଲାଗିବ ।
ତେବେ CNG ଓ ଇଲେକ୍ଟ୍ରିକ୍ ଗାଡ଼ି ସହିତ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଗାଡ଼ିକୁ ଏଥିରୁ ଛାଡ଼ ମିଳିବ । ସେହିପରି ନଭେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଧୂଳି ସୃଷ୍ଟି କରୁଥିବା ବାହ୍ୟ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ ରୋକ୍ ଲଗାଯିବ । କିଛି ଜରୁରୀ ସାର୍ବଜନୀନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ଛାଡ଼ ମିଳିପାରିବ । ଘର ଭିତରେ ଫିନିସିଂ, ପ୍ଲମ୍ବିଂ ଓ ବୈଦ୍ୟୁତିକ କାମକୁ ଧୂଳି ନିୟନ୍ତ୍ରଣ ନିୟମ ପାଳନ ସାପେକ୍ଷରେ ଅନୁମତି ମିଳିବ । ତେବେ ଡିସେମ୍ବର ୧୦ରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ କିଛି କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ।
