ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜିଠାରୁ ଆଲୋଚନା

ମହାନଦୀ ଜଳ ବିବାଦ, ଆଜିଠାରୁ ଦିଲ୍ଲୀରେ ୧୧ ଦିନ ଧରି ବ୍ୟାପକ ଆଲୋଚନା

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜିଠାରୁ ଚାଲିଛି ଆଲୋଚନା। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଦିଲ୍ଲୀରେ ୧୧ ଦିନ ଧରି ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି। ଜୁନ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମହାନଦୀ ଜଳ ବଣ୍ଟନ ସହ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ପ୍ରତିନିଧିମାନେ ଚର୍ଚ୍ଚା କରୁଛନ୍ତି।

ପୂର୍ବ ଶୁଣାଣି ସମୟରେ ଜଳ ବଣ୍ଟନ ସମ୍ପର୍କିତ ବିଭିନ୍ନ ବୈଷୟିକ ଓ ଆଇନଗତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଆବଶ୍ୟକ ବୋଲି ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ନିବେଦନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ଏହି ଆଲୋଚନା ପ୍ରକ୍ରିୟାକୁ ସୁଯୋଗ ଦେଇଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପୂର୍ବରୁ ସୂଚନା ଦେଇଥିଲେ ଯେ ଉଭୟ ରାଜ୍ୟର ବୈଷୟିକ ଓ ଆଇନଗତ ଟିମ୍ ମୂଳ ପ୍ରସଙ୍ଗଗୁଡ଼ିକ ଉପରେ ସିଧାସଳଖ ଆଲୋଚନା କରିବେ। ଆବଶ୍ୟକ ହେଲେ ସେଣ୍ଟ୍ରାଲ ୱାଟର କମିଶନ ସିଡବ୍ଲ୍ୟୁସିର ସହାୟତା ମଧ୍ୟ ନିଆଯିବ।ମହାନଦୀ ଜଳରେ ଓଡ଼ିଶା ଓ ଛତିଶଗଡ଼ର ପ୍ରାପ୍ୟ ଅଂଶ କେତେ ରହିବ ଏବଂ ଜଳ ବଣ୍ଟନର ଉଚିତ ମାନଦଣ୍ଡ କଣ ହେବ ଏହି ପ୍ରସଙ୍ଗରେ ମୁଖ୍ୟତଃ ଆଲୋଚନା ହେବ। ଏହି ମାନସ ମନ୍ଥନର ଫଳାଫଳ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ।ମାମଲାର ପରବର୍ତ୍ତୀ ଶୁଣାଣି ୨୭ ଜୁନରେ ହେବାକୁ ଥିବାବେଳେ ୧୧ ଦିନିଆ ଆଲୋଚନା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *