ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ

ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା

ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା । ଏଥିରେ ବ୍ୟତିକ୍ରମ ଘଟିଲେ ସମ୍ପୃକ୍ତ ସେବାୟତ କିମ୍ବା ଶ୍ରଦ୍ଧାଳୁଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ । ଏଥିପାଇଁ ମିଡିଆ ଫୁଟେଜ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭିଡ଼ିଓ ଟିମକୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରୁଖୁରୁରେ ରଥଟଣା ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ନବଯୌବନ ଦର୍ଶନରେ ଏଥର ଅଧିକ ସମୟ ଦର୍ଶନ ସୁଯୋଗ ମିଳିବ ନାହିଁ । ଅପରାହ୍ଣ ୨ ଟା ପରେ ସାହାଣମେଲା ଦର୍ଶନ ଆରମ୍ଭ ହେବ । ଏହା ପରଦିନ ଉଭା ଅମାବାସ୍ୟା ଓ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନ ମାତ୍ର କିଛି ଘଣ୍ଟା ଚାଲିବ । ସେହିପରି ପ୍ରତ୍ୟେକ ରଥରେ ଚଳିତ ବର୍ଷ ଅଧିକ ଗୋଟିଏ ଲେଖାଏଁ ରଥ ଦଉଡ଼ି ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ଯାତ୍ରା ଦିନ ତିନି ରଥ ବାଟରେ ଅଟକିଲେ ତୁରନ୍ତ ବ୍ୟାରିକେଡ଼ କରାଯିବ । ପ୍ରତ୍ୟେକ ରଥର ଶୋଧ ଓ ନିର୍ଦ୍ଦେଶକ ଦଳ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *