ପ୍ରହ୍ଲାଦ ଯୋଶୀ ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ପ୍ରହ୍ଲାଦ ଯୋଶୀଙ୍କ ନୂତନ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମେତ ଶକ୍ତି ମନ୍ତ୍ରଣାଳୟ ଦାୟିତ୍ବ ତୁଲାଉଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଏବେ ସେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିବେ। ତେବେ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ନୈତିକତା ଦୃଷ୍ଟିରୁ ସେ ନିଜଆଡ଼ୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ଧର୍ମେନ୍ଦ୍ର ଇସ୍ତଫା ଦେଇଥିବା କହିଛନ୍ତି।
