ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ
ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟେଲିଗ୍ରାମ । ମାମଲାର ଗୁରୁତ୍ୱକୁ ଦେଖି ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହାର ଜରୁରୀ ଶୁଣାଣି କରିବେ ।ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ପୁନଃ-ପରୀକ୍ଷା କରାଯାଉଛି । ପରୀକ୍ଷା ସମୟରେ ସଂଗଠିତ କପି ରୋକିବା, ନକଲି ପ୍ରଶ୍ନପତ୍ର ବିକ୍ରି କରୁଥିବା ଜାଲିଆତିଆଙ୍କୁ ଧରିବା ଏବଂ ଗୁଜବକୁ ରୋକିବା ପାଇଁ NTA ସରକାରଙ୍କୁ ସୁପାରିଶ କରିଥିଲା । ଏହା ଆଧାରରେ ଆଇଟି ଆକ୍ଟର ସେକ୍ସନ ୬୯A ଅନୁଯାୟୀ, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଜୁନ୍ ୨୨ ପର୍ଯ୍ୟନ୍ତ ସାରା ଦେଶରେ ଟେଲିଗ୍ରାମ୍ ବ୍ୟବହାର ଉପରେ ସାମୟିକ କଟକଣା ଲଗାଇଛି । ଏହା ସହ ଜୁନ୍ ୩୦ ପର୍ଯ୍ୟନ୍ତ ଭାରତୀୟ ୟୁଜର୍ସଙ୍କ ପାଇଁ ‘ମେସେଜ୍ ଏଡିଟ୍’ ଫିଚରକୁ ମଧ୍ୟ ଅକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
