ଶ୍ରୀକ୍ଷେତ୍ର ପାଲଟିଲା ଜନ ସମୁଦ୍ର

ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପବିତ୍ର ବଡ଼ ତଢାଉ ବେଶ ବା ସୁନା ବେଶ । ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ ପରିଣତ ହୋଇଛି। ଶ୍ରଦ୍ଧାଳୁମାନେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ ଆସି ଏକ ପାଖିଆ ଦର୍ଶନ କରି ତାଳଧ୍ବଜ ରଥ ପାର୍ଶ୍ୱ ଦେଇ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି । ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ ।ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି । ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ । ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ ଏହି ବେଶ ସଂଦର୍ଶନ କରି ଭକ୍ତ ଆତ୍ମବିଭୋଗର ହେଉଛନ୍ତି ।ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେଇଥିବା ବେଳେ ଏହା ରାତି ୧୧ଟା ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ବେଶ ଓଲାଗି (ଖୋଲା ହେବ) ହେବ। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ପ୍ରବେଶ କରି ଦର୍ଶନ ସାରିବା ପରେ ରଥ ଆଗ ଦେଇ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରୁଛନ୍ତି।

Leave a Reply

Your email address will not be published. Required fields are marked *