ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ । ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ଟଳିଲା ଇରାନ ଉପରେ ଆମେରିକାର ସେନା ଆକ୍ରମଣ । ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଇରାନ ଉପରେ ହେବାକୁ ଥିବା ବଡ଼ ଧରଣର ସାମରିକ ଆକ୍ରମଣ ଯୋଜନାକୁ ଆମେରିକା ରାଷ୍ଟ୍ରପତି ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଛନ୍ତି । ଗତକାଲି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ ଜରିଆରେ ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି। ପ୍ରମୁଖ ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ସେ ଏହି ଆକ୍ରମଣକୁ ବାତିଲ କରିଥିବା କହିଛନ୍ତି।କାତାରର ଅମିର ତମିମ୍ ବିନ୍ ହମାଦ ଅଲ୍ ଥାନି, ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏବଂ ୟୁଏଇ (UAE) ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନଙ୍କ ସମେତ ଅନ୍ୟ କେତେକ ପ୍ରମୁଖ ନେତା ତାଙ୍କୁ ଏହି ଆକ୍ରମଣ ପାଇଁ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ । ଗଲ୍ଫ ନେତାମାନଙ୍କ ବିଶ୍ୱାସ ଯେ ବର୍ତ୍ତମାନ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିବ, ଯାହା ଆମେରିକା ଏବଂ ସମଗ୍ର ଅଞ୍ଚଳ ପାଇଁ ଗ୍ରହଣୀୟ ହେବ ।
