ଏଥର ପ୍ଲାଷ୍ଟିକ୍ ଫ୍ରି ହେବ ଐତିହାସିକ ବାଲିଯାତ୍ରା
ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା। କଟକର ଐତିହାସିକ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ଫ୍ରି କରିବାକୁ ନିଷ୍ପତ୍ତି।ପରିବେଶ ସ୍ୱଚ୍ଛତାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସବୁ ବିଭାଗ ସହ ସମନ୍ୱୟ ରଖି ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିଲାଗି ସାଧାରଣ ଲୋକଙ୍କ ସହଯୋଗ କାମନା କରିଛି ପ୍ରଶାସନ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।ଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ଅଧିକ ପ୍ରୟାସ ହେବ। ଆସନ୍ତା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତିବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଗତବର୍ଷ ବାଲିଯାତ୍ରାରେ ପ୍ରାୟ ୬୫ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲା।ଗୋଟିଏ ଦିନ ସର୍ବାଧିକ ୧୨ ଲକ୍ଷ ଲୋକ ବାଲିଯାତ୍ରା ଦେଖିବାକୁ ଆସିଥିଲେ। ବାଲିଯାତ୍ରାରେ ୪୦୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିଲା।୧୪୨୦ ଷ୍ଟଲ ବୁକିଂ ହୋଇଥିଲା। ୨୪ଟି ରାଜ୍ୟରୁ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ।
