ଫ୍ରାନ୍ସରେ ଭୟଙ୍କର ହିଂସାକାଣ୍ଡ, ବ୍ୟାପକ ଲୁଟପାଟ୍, ୧୨୦୦ରୁ ଅଧିକ ଗିରଫ

ଫ୍ରାନ୍ସରେ ଭୟଙ୍କର ହିଂସାକାଣ୍ଡ

ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବିସ୍ଫୋରକ ରୂପ ନେଇଛି । ରାଜଧାନୀ ପ୍ୟାରିସ୍ ସମେତ ସାରା ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଏବଂ ଲୁଟପାଟ୍ ଦେଖିବାକୁ ମିଳିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବର୍ତ୍ତମାନ ସୁଦ୍ଧା ୧,୨୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ହିଂସାତ୍ମକ ଆକ୍ରମଣରେ ୬୦ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୫.୫ ଲକ୍ଷ ଲୋକ ଏକାଠି ହୋଇ ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଓ ବାଣ ଫିଙ୍ଗିବା ସହ ବହୁ ସ୍ଥାନରେ ଗାଡି ଏବଂ ସରକାରୀ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଥିଲେ ।

ଲିମୋଜ୍ ସହରରେ ଥିବା ପ୍ରାୟ ୧୪୦ ବର୍ଷ ପୁରୁଣା ଐତିହାସିକ ଟାଉନ୍ ହଲରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଏହାର ଛାତର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି । ପ୍ୟାରିସ୍ ଏବଂ ଅନ୍ୟାନ୍ୟ ସହରରେ ଶତାଧିକ ଦୋକାନର କାଚ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନିଆଯାଇଛି । ଭିଡ଼କୁ ନିୟମନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହବୁହା ଗ୍ୟାସ୍ ଏବଂ ପାଣିମାଡ଼ କରିଥିଲେ । ସଂଘର୍ଷରେ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *