ଭିଡ଼ ହିଂସା ଘଟଣା ପରେ କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ, ୨୩ ଜଣ ଗିରଫ

କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ, ୨୩ ଜଣ ଗିରଫ

ଇନ୍ତାଲିଗୁଡାରେ ଫ୍ଲାଗ ମାର୍ଚ୍ଚ। ଭିଡ଼ ହିଂସା ଘଟଣା ପରେ ରାୟଗଡ଼ା କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ। ସ୍ଥିତି ସ୍ବାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ଥାନା ପରିସରରୁ ଆରମ୍ଭ ହୋଇ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ ହୋଇଥିଲା।ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ। ପିଲା ଚୋରି ସନ୍ଦେହକୁ କେନ୍ଦ୍ର କରି କଲ୍ୟାଣସିଂହପୁର ଅଞ୍ଚଳରେ ଭିଡ଼ ହିଂସା ଘଟିଥିବା ବେଳେ ଏପରି ଘଟଣାର ପୁନରାବୃତ୍ତି ରୋକିବା ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଯେକୌଣସି ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଅବଗତ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାରେ ଏଯାଏ ୨୩ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଫେରାରଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଘଟଣାର ସମ୍ବେଦନଶୀଳକୁ ଦୃଷ୍ଟିରେ ରଖି ଏହାକୁ ରେଡ ଫ୍ଲାଗ ମାମଲା ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ। ଏବେ କ୍ରାଇମବ୍ରାଞ୍ଚର CAW ଏଡିଜି ଏସ ସାଇନିଙ୍କ ନେତୃତ୍ବରେ ହେବ ତଦନ୍ତ। ଆବଶ୍ୟକ ପଡ଼ିଲେ ଟିମ ଦିଲ୍ଲୀ ଯାଇ ଯୁବତୀଙ୍କୁ ପଚରାଉଚରା କରିବାକୁ ଯୋଜନା ରହିଛି।

Leave a Reply

Your email address will not be published. Required fields are marked *