ନଭେମ୍ବର ୧ରେ ବିଶାଳ ରାଲି, ଜଗିବେ ୩୫୦୦ ପୁଲିସ, ନଜର ରଖିବ ୨୦୦ରୁ ଅଧିକ ସିସିଟିଭି

ନଭେମ୍ବର ୧ରେ ବିଶାଳ ରାଲି

ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ପ୍ରସ୍ତାବିତ ରାଲି ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଦିଲ୍ଲୀ ପୁଲିସ। ରାଲିରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପ୍ରାୟ ୩,୫୦୦ ପୁଲିସ କର୍ମଚାରୀ ମୁତୟନ ହେବେ। ଏହା ସହ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯିବ ଏବଂ ସୁରକ୍ଷା ପରିଚାଳନା ପାଇଁ ପୂରା ଅଞ୍ଚଳକୁ ୧୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି।

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସଆଇଆର)କୁ ନେଇ ବିରୋଧୀ ଦଳଗୁଡ଼ିକ ଏହି ପ୍ରତିବାଦ ରାଲି ଆୟୋଜନ କରୁଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଉଠାଇଛନ୍ତି ବିରୋଧୀ। ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା, ଆଇନଶୃଙ୍ଖଳା ବଜାୟ ରଖିବା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ ରାଲି ଆୟୋଜକ, ଟ୍ରାଫିକ୍‌ ପୁଲିସ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରୁଛି।ପୁଲିସର ସୂଚନା ଅନୁସାରେ, ପ୍ରତ୍ୟେକ ଜୋନ୍‌ର ଦାୟିତ୍ୱ ଜଣେ ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ (ଏସିପି) ପାହ୍ୟାର ଅଧିକାରୀଙ୍କୁ ଦିଆଯିବ। ସେହିପରି ଅତିରିକ୍ତ ଡେପୁଟି କମିଶନର ଅଫ୍‌ ପୁଲିସ ପାହ୍ୟାର ଅଧିକାରୀ ଦୁଇଟି ଜୋନ୍‌ର ତଦାରଖ କରିବେ। ପ୍ରାୟ ୩,୫୦୦ ପୁଲିସ କର୍ମଚାରୀଙ୍କ ସହ ୧୦ କମ୍ପାନି ରିଜର୍ଭ ଫୋର୍ସ ମଧ୍ୟ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *