ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା
ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ବଡ଼ ଚେତାବନୀ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ ଆକଳନ ଅନୁଯାୟୀ, ବାତ୍ୟା ଯୋଗୁଁ ଗଛ ଭାଙ୍ଗିବା ସହ ଧାନ ଓ ଅନ୍ୟାନ୍ୟ ଫସଲର ବ୍ୟାପକ କ୍ଷତି ହୋଇପାରେ। ଏହା ସହ ରେଳ, ବିମାନ ଓ ସଡ଼କ ପଥରେ ଯାତାୟାତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
IMD ଡିଜିଙ୍କ ସୂଚନା ଅନୁଯାୟୀ, ବାତ୍ୟା ଅର୍ଣ୍ଣବ ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ୍ ହେବାର ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି।ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବ। ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଉତ୍ତର ଓଡ଼ିଶାରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବାର ଆକଳନ କରାଯାଇଛି। ପ୍ରବଳ ପବନ ଯୋଗୁଁ ଗଛ ଭାଙ୍ଗିବା, ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଏବଂ ଫସଲ କ୍ଷତି ହେବାର ଆଶଙ୍କା ରହିଛି।
ବାତ୍ୟାର ପ୍ରଭାବରେ ପରିବହନ ବ୍ୟବସ୍ଥା ମଧ୍ୟ ବିଗିଡ଼ିପାରେ। ରେଳ ଚଳାଚଳ, ବିମାନ ସେବା ଓ ସଡ଼କ ଯାତାୟାତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଯାତ୍ରୀମାନେ ଯାତ୍ରା ପୂର୍ବରୁ ସମ୍ପୃକ୍ତ ପରିବହନ ସଂସ୍ଥାର ସୂଚନା ଯାଞ୍ଚ କରିବା ଜରୁରୀ।
