ବଙ୍ଗୋପସାଗରରେ ଆଜି ଲଘୁଚାପ!
ଆଜି ବଙ୍ଗୋପସାଗରରେ ଲଘୁଚାପ । କାଲିଠୁ ଓଡ଼ିଶାରେ ବର୍ଷା ବଢ଼ିବା ଆଶଙ୍କା । ପୁଣି ବଦଳିବ ପାଗ। ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବିଶେଷକରି ୧୪ ଓ ୧୫ ଅକ୍ଟୋବରରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି । ଦୁର୍ଗାପୂଜା ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ । ତେବେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।
