୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ
୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ । ଲୋକସଭାରେ ବଡ଼ ପରିବର୍ତ୍ତନ । ୫୪୩ ରୁ ୮୫୦ ହେବେ ସାଂସଦ ! ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ । ଭାରତୀୟ ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଦେଶର ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ସରକାର ଏକ ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବିତ ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଆସନ୍ତା ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବ।
ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ୮୫୦ଟି ଆସନ ମଧ୍ୟରୁ ୮୧୫ଟି ଆସନ ବିଭିନ୍ନ ରାଜ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଳ ପାଇଁ ରଖାଯିବ । ୨୦୧୧ ଜନଗଣନା ଆଧାରରେ ଏହି ନୂତନ ସୀମା ନିର୍ଦ୍ଧାରଣ (Delimitation) କରାଯିବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ରାଜ୍ୟ ନିଜର ବର୍ତ୍ତମାନର ଆସନ ହରାଇବେ ନାହିଁ, ବରଂ ଜନସଂଖ୍ୟା ଅନୁପାତରେ ସମସ୍ତଙ୍କର ଆସନ ବୃଦ୍ଧି ପାଇବ ।
