ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ବାଜିଲା ମୋହର

ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ, ବୃଦ୍ଧି ପାଇବ ଦ୍ୱିପାକ୍ଷିକ ବ୍ୟବସାୟ

ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ବାଜିଲା ମୋହର। ଚଳିତ ବର୍ଷ ଶେଷ ଭାଗରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ। କିନ୍ତୁ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ସଂସଦକୁ ଏହାର ଅନୁମୋଦନ କରିବାକୁ ହେବ। ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ମନ୍ତ୍ରୀ ଟଡ ମ୍ୟାକ୍ଲେ ଓ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏହି ଚୁକ୍ତିକୁ ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିକୁ ଗୋଟିଏ ପିଢ଼ିରେ ଗୋଟିଏ ଥର ବୋଲି ମଧ୍ୟ ନାମିତ କରାଯାଇଛି।

ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଓ ବାଣିଜ୍ୟ କମିଟି ସମୀକ୍ଷା କରିବ। ଏହାପରେ ସଂସଦରେ ନିଜର ରିପୋର୍ଟ ଦାଖଲ କରି ନିଜର ମତ ରଖିବ। ଏହାପରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ପ୍ରକ୍ରିୟା ଶେଷ କରିବାକୁ ପ୍ରାୟ ୬ ମାସର ସମୟ ଲାଗିବ ବୋଲି ଜଣାପଡ଼ିଛି। ୨୦୨୫ ମାର୍ଚ୍ଚ ମାସରୁ ବାଣିଜ୍ୟ ଡିଲ ପାଇଁ ଦୁଇ ଦେଶ ଆଲୋଚନା ଆରମ୍ଭ କରିଥିଲେ।

୨୦୨୫ ଡିସେମ୍ବର ମାସରେ ଆଲୋଚନା ଶେଷ ହୋଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ଯୋଗୁ ଭାରତୀୟ ରପ୍ତାନୀକାରୀମାନେ ନିଜର ଜିନିଷକୁ ବିନା ସୀମା ଶୁଳ୍କରେ ନ୍ୟୁଜିଲ୍ୟାଣ୍ଡକୁ ପଠାଇ ପାରିବେ। ୮ ହଜାର ୨୮୪ ରପ୍ତାନୀ ଦ୍ରବ୍ୟ ବିନା ସୀମା ଶୁଳ୍କରେ ନ୍ୟୁଜିଲ୍ୟାଣ୍ଡ ମାର୍କେଟରେ ପ୍ରବେଶ କରିବ। ପ୍ରାଥମିକ ପର୍ଯ୍ୟାୟରେ ଚମଡ଼ା, ହ୍ୟାଣ୍ଡଲୁମ, ହସ୍ତତନ୍ତ ଭଳି ୭୦ ପ୍ରତିଶତ ଭାରତୀୟ ଦ୍ରବ୍ୟ ଉପରେ କୌଣସି ସୀମା ଶୁଳ୍କ ଲାଗୁ ହେବନାହିଁ।

ଚୁକ୍ତି ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟ ୫ ବର୍ଷ ମଧ୍ୟରେ ୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ନ୍ୟୁଜିଲ୍ୟାଣ୍ଡ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାରର ନିବେଶ କରିବ। ସେପଟେ ଭାରତ ସହ ବାଣିଜ୍ୟ ଚୁକ୍ତିକୁ ନେଇ ନ୍ୟୁଜିଲାଣ୍ଡ ଶାସକ ଦଳରେ ଫାଟ ସୃଷ୍ଟି ହୋଇଛି। ନ୍ୟୁଜିଲାଣ୍ଡ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଶେନ ଜୋନ୍ସ ଭାରତ ସହ ଚୁକ୍ତିକୁ ସମାଲୋଚନା କରିବା ସହ ‘ବଟର୍ ଚିକେନ୍ ସୁନାମୀ’ ଆସିବ ବୋଲି କହିଥିଲେ ଏହି ମନ୍ତବ୍ୟକୁ ନ୍ୟୁଜିଲାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟ ପକ୍ଷରୁ ବିରୋଧ କରାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ମଧ୍ୟ ଶେନଙ୍କ ମନ୍ତବ୍ୟକୁ ଅନାବଶ୍ୟକ ଓ ଭ୍ରମାତ୍ମକ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *