ହାଇକୋର୍ଟରେ କ୍ରସ୍ ଭୋଟିଂ ବିବାଦ
ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦ ହାଇକୋର୍ଟରେ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲା ବିଜେଡି। ଓଡ଼ିଶା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ଉଠିଥିବା ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି। ବିଜେଡିର ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଥିଲେ।ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ପକ୍ଷରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି। ଗତ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର କିଛି ବିଧାୟକ ଦଳୀୟ ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ ହୋଇଥିବା ବିଜେଡି ଅଭିଯୋଗ କରିଥିଲା।ଏହାପରେ ବିଜେଡି ୮ ଜଣ ବିଧାୟକଙ୍କ ବିରୋଧରେ ଦଶମ ଅନୁସୂଚୀ ଅନୁଯାୟୀ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟକୁ ଯାଇଥିଲା। ବିଜେଡି ଯେଉଁ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କରିଥିଲା ସେମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼।
