କେନ୍ଦୁଝରକୁ ୧୩୩୦ କୋଟିର ଭେଟି
କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୭୦୫ କୋଟିର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇଦେବା ପାଇଁ ୨୫ଟି ଅତ୍ୟାଧୁନିକ ଇ-ବସ ସହିତ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଆମ ବସ’ ଡିପୋର ଲୋକାର୍ପଣ କରାଯାଇଛି । ଏହି ନୂତନ ଇ-ବସ ସେବାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସୁଲଭ ଭଡ଼ା ।ମାତ୍ର ୫ ଟଙ୍କାରୁ ବସ ଭଡା ଆରମ୍ଭ ହେଉଥିବାରୁ ଏହା ଦୈନନ୍ଦିନ ଯାତ୍ରା କରୁଥିବା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ସମସ୍ତ ବସ ସମ୍ପୂର୍ଣ୍ଣ ଏସି । ପ୍ରତି ବସରେ ସିସିଟିଭି କ୍ୟାମେରା, ପ୍ୟାନିକ୍ ବଟନ ଏବଂ ଜିପିଏସ (GPS) ବ୍ୟବସ୍ଥା ରହିଛି । ଫଳରେ ଯାତ୍ରୀମାନେ ବିଶେଷ କରି ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ । ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଗାଇଡ୍ ଏବଂ ୨ ଜଣ ମହିଳା ଡ୍ରାଇଭର ଅଛନ୍ତି । କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ହେବ । କେନ୍ଦୁଝରକୁ ଦେଶର ଏକ ଶ୍ରେଷ୍ଠ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳାଯିବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
