୬ ଫ୍ଲାଏଓଭରକୁ କ୍ୟାବିନେଟ୍ ମଞ୍ଜୁରୀ
୫୭୯ କୋଟିର ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଜୟଦେବ ବିହାର ଛକରେ ହେବ କେବଲ୍-ଷ୍ଟେଡ୍ ସେତୁ । ଜୟଦେବ ବିହାର, ନନ୍ଦନକାନନ, ବାରଙ୍ଗ ଓ କଟକ ମଧ୍ୟରେ ୬ଟି ଫ୍ଲାଏଓଭର ନିର୍ମାଣ କରାଯିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ ହେବ। ରାଜ୍ୟ କ୍ୟାବିନେଟ୍ ଦିନେଶ ଚନ୍ଦ୍ର ଆର୍ ଅଗ୍ରୱାଲ ଇନଫ୍ରାକନ୍ ଫ୍ରାଇଭେଟ୍ ଲିମିଟେଡ୍ର ଟେଣ୍ଡରକୁ ଅନୁମୋଦନ କରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯କିମି ୫୦୦ ମିଟରର ରାସ୍ତା ୮ ଲେନ୍ ବିଶିଷ୍ଟ ହେବ। ଏହାସହ ସର୍ଭିସ୍ ରୋଡ୍ ରହିବ । ଏଥିରେ ଜୟଦେବ ବିହାର ଛକର ଫ୍ଲାଏଓଭର ଉପରେ ଏନ୍ଏଚ୍-୧୬ ଉପରେ ୪ଲେନ୍ କେବଲ୍ ଷ୍ଟେଡ୍ ସେତୁ ନିର୍ମାଣ କରାଯିବ ।
କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ସମେତ କଳାରାହାଙ୍ଗ ଛକରେ ସ୍ବତନ୍ତ୍ର ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ସଂରଚନା, ଫ୍ଲାଏଓଭର ସହ ୮ଲେନ୍ ବିଶିଷ୍ଟ ରାସ୍ତା ରହିବ। ଅର୍ଥାତ୍ ଉପରେ ଫ୍ଲାଏଓଭରରେ ୪ଲେନ୍ ତଳେ ୪ଲେନ୍ ରାସ୍ତା। ରାସ୍ତା କଡ଼ରେ ଡ୍ରେନେଜ୍ ସୁବିଧା, ୫.୫ମିଟରର ସର୍ଭିସ୍ ରୋଡ୍, ୭.୫ମିଟରର ସ୍ଲିପ୍ ରୋଡ୍, ରାଉଣ୍ଡବାଉଟ୍, ଛକଗୁଡ଼ିକର ଉନ୍ନତି, ରାସ୍ତା ସୌନ୍ଦର୍ଯ୍ୟକରଣ, ରୋଡ୍ ମାର୍କିଂ, ରୋଡ୍ ଫର୍ଣ୍ଣିଚର୍, ସଡ଼କ ସୁରକ୍ଷା, ପାର୍କିଂ ବେ, ବ୍ରିଜ୍ ଆଲୋକୀକରଣ ବ୍ୟବସ୍ଥା ରହିବ। ଏହି ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ ସହ ୧୦ବର୍ଷ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ତ୍ରୁଟି ଥିଲେ ତାକୁ ସଜାଡ଼ିବା, ରକ୍ଷଣାବେକ୍ଷଣ ପାଇଁ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ।
ଏହି ରାସ୍ତାରେ ଫ୍ଲାଏଓଭର ସହ ଅଣ୍ଡରପାସ୍, ଭୂତଳ ପାର୍କିଂ, ସବ୍ୱେ ସହ ଜଙ୍କସନରେ ବାଣିଜ୍ୟିକ ବିକାଶକୁ ନଜରରେ ରଖି ଏହି ଡିଜାଇନ୍ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭୁବନେଶ୍ବରରେ ଦୀର୍ଘମିଆଦୀ ପରିବହନ ଓ ସହରୀ ବିକାଶ ରଣନୀତିକୁ ସହାୟକ ହେବ ବୋଲି କୁହାଯାଇଛି । ଅପରପକ୍ଷେ ଏହି ରାସ୍ତାରେ ପୂର୍ବରୁ ମେଟ୍ରୋ ଗଡ଼ିବ ବୋଲି ଯେଉଁ ଏଲିଭେଟେଡ୍ କରିଡର୍ ଡିଜାଇନ୍ ହୋଇଥିଲା ସେହି ସ୍ଥାନରେ ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାରୁ ମେଟ୍ରୋ ଗଡ଼ିବା ବାଟ ପୂରା ବନ୍ଦ ହୋଇଯାଇଛି ।
