ମହାନଦୀକୁ ଛାଡ଼ି ଅନ୍ୟ ନଦୀରେ କମୁଛି ବନ୍ୟାଜଳ, ୪ଟି ଜିଲ୍ଲାର ତଳିଆ ଅଞ୍ଚଳ ହେବ ପ୍ରଭାବିତ
ହୀରାକୁଦର ୩୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଯିବ। ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ’।ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, ସାଳନ୍ଦୀରେ ପାଣି କମିଛି। ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀରେ ମଧ୍ୟ ପାଣି କମିଛି। ମହାନଦୀ ପାଇଁ ମୁଖ୍ୟତଃ ୪ଟି ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ଚାଷ ଜମି ବୁଡ଼ିବ। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
