କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ରାଜଭବନ ଓ କଟକ ଗସ୍ତ କରିବେ । ସଂଧ୍ୟା ୫ଟାରୁ ରାତି ୮ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କଟକ କାର୍ଯ୍ୟକ୍ରମ । ପ୍ରଥମେ ‘କଟକ ଇନ୍ କଟକ’ ପ୍ରଦର୍ଶନୀ ଉଦ୍ ଘାଟନ କରିବା ପରେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ । ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ବାଲିଯାତ୍ରା ପାଇଁ ସଜେଇ ହୋଇଛି କଟକ। ଏଥର ରାଷ୍ଟ୍ରପତିଙ୍କ ବାଲିଯାତ୍ରା ଗସ୍ତରେ ରହିଛି ଏକ ସ୍ୱତନ୍ତ୍ର ଆକର୍ଷଣ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବ୍ ରୁ ଡଙ୍ଗାରେ ମହାନଦୀ ପାର ହୋଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ଏଥିପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ଡଙ୍ଗା ସହ ସାତଟି ସୁରକ୍ଷା ଡଙ୍ଗା ରହିବ । ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ କୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି ।ପୂରା ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି ବିନୟତୋଷ ମିଶ୍ର । ନିଜେ ବୋଟ୍ ରେ ବସି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାଲିଯାତ୍ରା ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ, ୪୦୦ ଅଫିସର ଓ ୬୦୦ ହୋମଗାର୍ଡ ମୁତୟନ ହେବେ । ୩୮ଟି ୱାଚ ଟାୱାର ନିର୍ମାଣ କରାଯାଇଛି । ୧୪ ଶହ ପାଖାପାଖି ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବେ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ, ରୁଟ୍ ଲାଇନରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆରେ ୧୮୦୦ରୁ ଅଧିକ ଷ୍ଟଲ ଲାଗିଛି। ଆଠଦିନ ଧରି ଜମିବ ବାଲିଯାତ୍ରା ।
