୭୧ ହାଇସ୍କୁଲରେ ହେବ +୨ ପାଠପଢ଼ା
୭୧ଟି ସରକାରୀ ହାଇସ୍କୁଲରେ ହେବ ଯୁକ୍ତ ଦୁଇ ପାଠପଢ଼ା। ଏନେଇ କେନ୍ଦ୍ରରୁ ୧୪୦.୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ସମଗ୍ର ଶିକ୍ଷା ଯୋଜନାରେ ଏହାକୁ ଅନୁମୋଦନ କରିଛି ପିଏବି। ୬୦ଟି ବିଦ୍ୟାଳୟରେ କଳା ଓ ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ ପାଠପଢା। ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ଅବଗତ କରାଇଛନ୍ତି।
ଚିଠି ସହିତ ପିଏବି ବୈଠକର କାର୍ଯ୍ୟବିବରଣୀ, ଜିଲ୍ଲାଭିତ୍ତିକ ବିଦ୍ୟାଳୟ ତାଲିକା ଓ ଆର୍ଥିକ ବିବରଣୀ ସଂଲଗ୍ନ କରାଯାଇଛି। ନୂତନ ଶ୍ରେଣୀଗୃହ, ପରୀକ୍ଷାଗାର, ଶିକ୍ଷାଦାନ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୃଷ୍ଟି କରାଯିବ। ଜିଲ୍ଲାଭିତ୍ତିକ ତାଲିକାକୁ ଦେଖିଲେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି। ଏହା ପରେ ମାଲକାନଗିରିର ୬ଟି, ନବରଙ୍ଗପୁରର ୫ଟି, ବାଲେଶ୍ୱର ଓ ବଲାଙ୍ଗୀରର ୫ଟି ଲେଖାଏଁ ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛି।
