ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟୋପରାଗ, ଭାରତରେ ହେବନି ଦୃଶ୍ୟମାନ
ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟୋପରାଗ । ୟୁରୋପ ଓ ଆର୍କଟିକ୍ ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଭାରତୀୟ ଆକାଶରେ ଏହି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ନାହିଁ । ପରାଗ ସମୟରେ ଭାରତରେ ରାତି ହୋଇଥିବାରୁ ଦେଶର କୌଣସି ସ୍ଥାନରୁ ପୂର୍ଣ୍ଣ କିମ୍ବା ଆଂଶିକ ପରାଗ ଦେଖାଯିବ ନାହିଁ । ଏହି ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ରୁଷ, ଆଟଲାଣ୍ଟିକ୍ ମହାସାଗର, ଉତ୍ତର ସ୍ପେନ୍ ଏବଂ ପର୍ତ୍ତୁଗାଲର ଏକ ଛୋଟ ଅଞ୍ଚଳ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣର ପଥରେ ରହିବ ।
ୟୁରୋପର ବଡ଼ ଅଂଶ ସହ କାନାଡା, ଉତ୍ତର ଆମେରିକାର କିଛି ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ଆଫ୍ରିକାରେ ଆଂଶିକ ସୂର୍ଯ୍ୟଗ୍ରହଣ ଦେଖାଯିବ ।ଭାରତୀୟ ସମୟ ଅନୁସାରେ ଗ୍ରହଣ ପ୍ରକ୍ରିୟା କାଲି ରାତି ପ୍ରାୟ ୯ଟା ୪ରୁ ଅଗଷ୍ଟ ୧୩ ତାରିଖ ରାତି ୧ଟା ୨୮ ପର୍ଯ୍ୟନ୍ତ ଚାଲିବ। ପୂର୍ଣ୍ଣ ପରାଗର ସର୍ବାଧିକ ଅବଧି ପ୍ରାୟ ୨ ମିନିଟ୍ ୧୮ ସେକେଣ୍ଡ ରହିବ। ଭାରତୀୟ ସମୟରେ ରାତି ପ୍ରାୟ ୧୧ଟା ୧୬ ବେଳେ ପରାଗ ଶୀର୍ଷ ସ୍ଥିତିରେ ପହଞ୍ଚିବ। ଭାରତରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ନ ହେବାରୁ ମନ୍ଦିରର ନୀତିକାନ୍ତି, ପୂଜାପାଠ ଓ ଦୈନନ୍ଦିନ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିବ।
