ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ
ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି ।ଦିଲ୍ଲୀ ପୋଲିସ ତରଫରୁ ଜାରି ହୋଇଥିବା ପୋଷ୍ଟରରେ ଇଣ୍ଡିଆନ ମୁଜାହିଦୀନ, ଅଲକାଏଦା ଏବଂ ଭିନ୍ନ ଭିନ୍ନ ଖଲିସ୍ତାନୀ ଆତଙ୍କୀ ସଂଗଠନ ସହିତ ଜଡ଼ିତ ସନ୍ଦିଗ୍ଧଙ୍କ ଫଟୋ ଏବଂ ବିବରଣୀ ସାମିଲ ରହିଛି । ପୋଷ୍ଟରରେ ଇଣ୍ଡିଆନ ମୁଜାହିଦୀନର ରିୟାଜ ଭଟକଲ ଏବଂ ଶମ୍ବାଦରୀ ମହମ୍ମଦ ଇକବାଲ ଓରଫ ଇକବାଲ ଭଟକଲ, ଅଲକାଏଦା ସହିତ ଜଡ଼ିତ ମହମ୍ମଦ ଶର୍ଜିଲ ଅଖତର, ଅବୁ ସୁଫିୟାନ ଏବଂ ସୈୟଦ ମହମ୍ମଦଙ୍କ ଫଟୋ ରହିଛି ।ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲିଷ୍ଟରେ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ରଂଜିତ ସିଂ, ପରମଜିତ ସିଂ, ଖଲିସ୍ତାନ ଟାଇଗର ଫୋର୍ସର ଅର୍ଶଦୀପ ସିଂ ଏବଂ ଅନ୍ୟମାନଙ୍କ ନାମ ରହିଛି ।
