ଫୁଟ୍ ପାଥରେ ଚାଲିବା ଏବେ ଆପଣଙ୍କ ମୌଳିକ ଅଧିକାର
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଫୁଟ୍ ପାଥରେ ଚାଲିବା ଏବେ ଆପଣଙ୍କ ମୌଳିକ ଅଧିକାର । ଗାଡ଼ି ନୁହେଁ, ପଦଚାରୀ ସବୁଠୁ ଆଗେ ! ସଡ଼କ ଜବରଦଖଲକାରୀଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ । ୫ ବର୍ଷର ଶିଶୁର ମୃତ୍ୟୁ ବଦଳାଇଦେଲା ଦେଶର ଆଇନ । ୬ ମାସ ଭିତରେ ସୁଧୁରିବ ଫୁଟ୍ ପାଥ୍ ବ୍ୟବସ୍ଥା । ଦେଶର ସହରାଞ୍ଚଳ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କ ପାଇଁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଚାଲି ଚାଲି ଯାଉଥିବା ପାଦଚାରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅଦାଲତ ଫୁଟ୍ ପାଥରେ ଚାଲିବାକୁ ନାଗରିକଙ୍କ ମୌଳିକ ଅଧିକାର ଭାବେ ଘୋଷଣା କରିଛନ୍ତି ।ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମୋଟର ଚାଳିତ ଗାଡ଼ିଗୁଡ଼ିକର ଚଳାଚଳ ତୁଳନାରେ ପଦଚାରୀଙ୍କ ଅଧିକାର ପ୍ରାଥମିକ ଏବଂ ସର୍ବାଗ୍ରେ । ଏଥିସହ ସାରା ଦେଶରେ ସୁରକ୍ଷିତ ପାଦଚାରୀ ଭିତ୍ତିଭୂମି ନିଶ୍ଚିତ କରିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ କହିବା ଅନୁଯାୟୀ ଚାଲିବାର ଅଧିକାର ସମ୍ବିଧାନର ଧାରା ୧୯ଏବଂ ଧାରା ୨୧ ଅନୁସାରେ ଏକ ଅଭିନ୍ନ ଅଙ୍ଗ । ମ୍ୟୁନିସିପାଲିଟି କର୍ପୋରେସନ୍, ସହର ଉନ୍ନୟନ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକର ଏହା ସାମ୍ବିଧାନିକ ଦାୟିତ୍ୱ ଯେ ସେମାନେ ଫୁଟ୍ ପାଥ୍ ତିଆରି କରିବେ ।
