ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ
୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ମାମଲାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ଏହି ତଲାସି କରାଯାଉଛି । ଭଞ୍ଜ କିଶୋର ବେହେରା ବର୍ତ୍ତମାନ ନାଉଗାଁ ତହସିଲରେ ସିନିଅର ରେଭିନ୍ୟୁ ଆସିଷ୍ଟଣ୍ଟ ଭାବେ କାର୍ଯ୍ୟରତ ।ଭିଜିଲାନ୍ସ ଟିମ୍ ପାଟେଣିଗାଁରେ ଥିବା ତାଙ୍କର ପ୍ରାୟ ୭ ହଜାର ବର୍ଗଫୁଟର ଦୁଇ ମହଲା ଆବାସିକ କୋଠା, ପ୍ରାୟ ୪ ହଜାର ବର୍ଗଫୁଟର ଟେଣ୍ଟ ହାଉସ୍ ଏବଂ ପ୍ରାୟ ୩ ହଜାର ବର୍ଗଫୁଟର ଅନ୍ୟ ଏକ ଦୁଇ ମହଲା କୋଠାରେ ତଲାସି କରୁଛି । ଏହାବ୍ୟତୀତ ନାଉଗାଁ ତହସିଲ କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରାଙ୍କ ବର୍ତ୍ତମାନର ଅଫିସ୍ ଏବଂ ପୂର୍ବରୁ ସେ କାର୍ଯ୍ୟରତ ଥିବା ତିର୍ତ୍ତୋଲ ବିଡ଼ିଓ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଚାଲିଛି।ରଘୁନାଥପୁର ଥାନା ଅଧୀନ ସାନକୋରକୋରା ଗାଁରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସି କରାଯାଉଛି।
