କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଇସ୍ତଫା
କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଇସ୍ତଫା । ମନ୍ତ୍ରୀ ପଦ ସହ ରାଜ୍ୟସଭା ସଦସ୍ୟତା ଛାଡ଼ିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ରାଜ୍ୟସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏକାସଙ୍ଗେ କେନ୍ଦ୍ରମନ୍ତ୍ରୀ ପଦ ଓ ସଂସଦର ଉଚ୍ଚ ସଦନର ସଦସ୍ୟତା ଛାଡ଼ିବା ଘଟଣା ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି ।ଏଲ୍. ମୁରୁଗନ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ସଦସ୍ୟ ଥିଲେ। ସେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ତାମିଲନାଡୁର ଜଣେ ପ୍ରମୁଖ ବିଜେପି ନେତା ଭାବେ ପରିଚିତ ମୁରୁଗନ ପୂର୍ବରୁ ଦଳର ରାଜ୍ୟ ସଭାପତି ଥିଲେ। ୨୦୨୧ ଜୁଲାଇରେ ସେ ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।
ସେତେବେଳେ ତାଙ୍କୁ ସୂଚନା ଓ ପ୍ରସାରଣ ସହ ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ସେ ତାମିଲନାଡୁର ନୀଳଗିରି ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ଡିଏମ୍ କେ ପ୍ରାର୍ଥୀ ଏ. ରାଜାଙ୍କଠାରୁ ପରାସ୍ତ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପୁଣି ମନ୍ତ୍ରୀ ପଦ ମିଳିଥିଲା। ମୁରୁଗନଙ୍କ ଇସ୍ତଫା ପଛର କାରଣ ଏବଂ ଆଗାମୀ ଦିନରେ ଦଳ ତାଙ୍କୁ କୌଣସି ନୂଆ ଦାୟିତ୍ୱ ଦେବ କି ନାହିଁ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
