ବାତ୍ୟା ପୂର୍ବରୁ ମିଳିବ ଆଗୁଆ ସୂଚନା
ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସୂଚନା ପାଇବା ଏବେ ଆହୁରି ସହଜ ହେବ । ଭାରତୀୟ ପାଣିପାଗ ବିଭାଗ ବା IMD ଏଥିପାଇଁ ଏକ ନୂଆ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିଛି । ଏହାର ନାମ ରହିଛି ସାଇକ୍ଲୋନ୍ ୱାର୍ଣ୍ଣିଂ ଆଣ୍ଡ୍ ମେରାଇନ୍ ୱେଦର ସର୍ଭିସେସ୍ ଡିସିସନ୍ ସପୋର୍ଟ ସିଷ୍ଟମ୍ । ଅକ୍ଟୋବର ୧୨ ତାରିଖରେ ଏହି ବ୍ୟବସ୍ଥାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ବାତ୍ୟା କେଉଁ ଦିଗରେ ଗତି କରୁଛି, କେତେ ଶକ୍ତିଶାଳୀ ହୋଇପାରେ, କେଉଁ ଅଞ୍ଚଳରେ କେତେ ବେଗରେ ପବନ ବହିବ ଏବଂ କେଉଁଠି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି, ସେ ସମ୍ପର୍କରେ ସୂଚନା ମିଳିପାରିବ । ସମୁଦ୍ରରେ ଜୁଆର ଜନିତ ଜଳସ୍ତର ବୃଦ୍ଧି ଓ ନଦୀ ଅବବାହିକାରେ ସମ୍ଭାବ୍ୟ ବର୍ଷା ସମ୍ପର୍କରେ ମଧ୍ୟ ଆକଳନ ଉପଲବ୍ଧ ହେବ।
ୱେବ୍ଜିଆଇଏସ୍ ଆଧାରିତ ଏହି ପ୍ଲାଟଫର୍ମରେ ଇଣ୍ଟରଆକ୍ଟିଭ୍ ମ୍ୟାପ୍ ଓ ବିଭିନ୍ନ ଚିତ୍ର ମାଧ୍ୟମରେ ପାଣିପାଗ ସମ୍ପର୍କିତ ତଥ୍ୟ ଦେଖିହେବ । ବିଶେଷକରି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ କେତେ ବିପଦ ରହିଛି, ତାହା ବୁଝିବାରେ ଏହି ବ୍ୟବସ୍ଥା ସହାୟକ ହେବ । ଫଳରେ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଉଦ୍ଧାରକାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ପ୍ରଶାସନ ଠିକ୍ ସମୟରେ ନିଷ୍ପତ୍ତି ନେଇପାରିବ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବାତ୍ୟା ଋତୁକୁ ଦୃଷ୍ଟିରେ ରଖି IMD ପକ୍ଷରୁ ଆୟୋଜିତ ପ୍ରାକ୍ବାତ୍ୟା ପ୍ରସ୍ତୁତି ବୈଠକରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ IMD ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପସଭାପତି ମଧ୍ୟ ଅଛନ୍ତି ।
