ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ
ଆଜି ତାମିଲନାଡୁରେ ନୂଆ ସରକାରର ଶପଥ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ । ନୂଆ ସରକାର ଗଠନ ପାଇଁ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କ ସବୁଜ ସଙ୍କେତ । ୧୨୧ ବିଧାୟକଙ୍କ ସମର୍ଥନ ସହ ଗତକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବିଜୟ । ମ୍ୟାଜିକ ନମ୍ବର ପାର କରିବା ପରେ ସରକାର ଗଠନ ପାଇଁ ସହମତି ଜଣାଇଛନ୍ତି ରାଜ୍ୟପାଳ ଆର୍ଲେକର । ଭିସିକେ ଓ ଆଇୟୁଏମଏଲ ଟିଭିକେକୁ ନିସର୍ତ୍ତ ସମର୍ଥନ ଦେବା ପରେ ବିଜୟଙ୍କ ପାଖରେ ୧୨୧ ବିଧାୟକଙ୍କ ସମର୍ଥନ ରହିଛି । ଟିଭିକେର ୧୦୮ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୫, ବାମଦଳର ୪ ଓ ଭିସିକେ- ଆଇୟୁସିଏଲର ୨ଜଣ ଲେଖାଏଁ ବିଧାୟକ ରହିଛନ୍ତି। ଏହା ସହ ତାମିଲନାଡୁରେ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁକୁ ଏଡ଼ାଇବାକୁ ନିଃସର୍ତ୍ତ ସମର୍ଥନ ଦେଇଥିବା କହିଛନ୍ତି ଭିସିକେ ସଭାପତି ଥୋଲ ଥିରୁମଭାଲାଭନ । ଏହା ସହ ବିଜୟଙ୍କୁ ସରକାର ଗଠନରୁ ବଞ୍ଚିତ କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।
