ଆଜି ଭସାଣି ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା
ସରିଲା ଦଶହରା, ଆଜି ବିଦାୟ ନେବେ ମାଆ। ଡିଜେ ନୁହେଁ, ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବ୍ୟାଣ୍ଡ ସହିତ ହେବ ଶୋଭାଯାତ୍ରା । ସୁରୁଖୁରୁରେ ଭସାଣି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସହରର ଚାରିପାଖରେ ଅସ୍ଥାୟୀ ପୋଖରୀ କରାଯାଇଛି । କୁଆଖାଇ, ଦୟାନଦୀ ନୂଆ ବ୍ରିଜ୍,ଟଙ୍କପାଣି ରାସ୍ତା ବାସୁଆଘାଇରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ବିସର୍ଜନ ପାଇଁ ପୂଜା ମଣ୍ଡପ ଗୁଡ଼ିକୁ ନମ୍ବରିଂ କରାଯାଇଛି ।
ଅନ୍ୟପଟେ ଶୋଭାଯାତ୍ରାରେ ଡିଜେ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆୟୋଜକଙ୍କ ଉପରେ ହେବ ଆକ୍ସନ । ଶୋଭାଯାତ୍ରାରେ ବାଣ ଫୁଟାଇବା ଉପରେ ବି ଲାଗିଛି ଅଙ୍କୁଶ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଆଇନଶୃଙ୍ଖଳା ପାଇଁ ମୁତୟନ ହେବେ ପ୍ରାୟ ୪୦ରୁ ଅଧିକ ପ୍ଲାଟୁନ୍ ଫୋର୍ସ । ଭସାଣ ଭିଡ଼କୁ ଦୃଷ୍ଟିରେ ରଖି ଅପରାହ୍ନ ୨ଟାରୁ ରାତି ଗୋଟାଏ ଯାଏଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।
