ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ
ଗଞ୍ଜାମ ବନ୍ୟା ସ୍ଥିତି ଲାଗି ପୂର୍ବ ୨୪ ବର୍ଷର ସରକାର ଦାୟୀ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଂଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ କରି ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି। କହିଛନ୍ତି, ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରଙ୍କ ବିଫଳତା ଦାୟୀ। ଗଞ୍ଜାମର ବିଭିନ୍ନ ନଦୀ ଓ ଡ୍ୟାମରେ ଜଳ ପରିଚାଳନାକୁ ନେଇ ଟାର୍ଗେଟ କରିଛନ୍ତି।୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି। ଆସନ୍ତା ବିଧାନସଭାରେ ବିରୋଧୀ ତଥ୍ୟ ସହ ଉତ୍ତର ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ। ମାତ୍ର ପାହାଡରୁ ପଥର ଖସିବାର କୌଣସି ପୂର୍ବାନୂମାନ ନ ଥାଏ। ବିଭିନ୍ନ ନଦୀରେ ଜଳ ଛାଡିବା ବ୍ୟବସ୍ଥାକୁ ଅଟୋମେଟିକ ରଖା ଯାଇଥିଲା । ମାତ୍ରାଧିକ ବର୍ଷା କାରଣରୁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡିଲା। ଗତ ୨୮,୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବାରୁ ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି। ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା।
ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଥିଲା। ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ IIT ସହ ସରକାର ଆଲୋଚନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
