”କକ୍ରୋଚ୍ ଜନତା ପାର୍ଟି”ର ଆନ୍ଦୋଳନ
ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତା ତଥା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ”କକ୍ରୋଚ୍ ଜନତା ପାର୍ଟି” (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶନିବାର ସକାଳେ ବିଦେଶରୁ ଭାରତ ଫେରିବା ପରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଏକ ମେଗା ପ୍ରତିବାଦ ପ୍ରଦର୍ଶନର ନେତୃତ୍ୱ ନେଇଛନ୍ତି। ଏହି ଆନ୍ଦୋଳନ ମାଧ୍ୟମରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଥିବା ଏହି ପ୍ରଦର୍ଶନରେ ସାରା ଦେଶରୁ ଆସିଥିବା ଶତାଧିକ ଯୁବକ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ବ୍ୟାପକ ସଂଖ୍ୟାରେ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ଦୀପକେ କହିଛନ୍ତି ଯେ, ଏହା ଏକ ଦୀର୍ଘ ସଂଗ୍ରାମ ଏବଂ ସୋସିଆଲ ମିଡିଆରେ ବିଗତ ଏକ ମାସ ଧରି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
