ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ ଚିଠି ଲେଖିଲେ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।  ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।  ରାଜପଥ ଓ ଶିଳ୍ପାଞ୍ଚଳରେ ମାଳମାଳ ବଡ ଗାଡ଼ି ଓ ଟ୍ରକ୍ ପାର୍କିଂ ଯୋଗୁଁ ବଢୁଥିବା ସଡ଼କ ଦୁର୍ଘଟଣା ଓ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାପ୍ରକଟ କରିଛନ୍ତି ଧର୍ମେନ୍ଦ୍ର।

ରାଜ୍ୟରେ ଖଣି ଓ ଶିଳ୍ପ କରିଡରଗୁଡ଼ିକରେ ଟ୍ରକଗୁଡ଼ିକ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଧାଡ଼ି କରି ରାସ୍ତା ଉପରେ ବେଆଇନ ଓ ବିପଦଜନକ ପାର୍କିଂ କରୁଥିବାରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ ଭାବରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଖଣି କମ୍ପାନୀଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ସ ଶୃଙ୍ଖଳାର ଅଭାବ ଓ କିମ୍ବା ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସିଧାସଳଖ ସାମ୍ବିଧାନିକ ଆଦେଶ ଏବଂ ଦୃଢ଼ ଆଇନଗତ କ୍ଷମତା ରହିଛି । ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ ୨୦୨୫, ସେକ୍ସନ ୨୮ ଅନୁଯାୟୀ କମ୍ପାନୀ, ପରିବହନକାରୀ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଜରିମାନା ଏବଂ କାରାଦଣ୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର।

ସେକ୍ସନ ୨୮ ଅନୁଯାୟୀ ରାସ୍ତାରେ ବିପଦଜନକ ଭାବେ ଗାଡ଼ି ନେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ୧,୦୦୦ ଟଙ୍କାରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଧ୍ୟତାମୂଳକ ଜରିମାନା ଲଗାଇବା ଏବଂ ଯଦି ଗୋଟିଏ ମାସ ପରେ ଜରିମାନା ଆଦାୟ ନହୁଏ ତେବେ ଜବତ ଯାନଗୁଡ଼ିକୁ ନିଲାମ କରାଯାଉ ବୋଲି କହିଛନ୍ତି। ଶିଳ୍ପ ଓ ଖଣି କମ୍ପାନୀଗୁଡ଼ିକର ଲଜିଷ୍ଟିକ୍ସ ଅବ୍ୟବସ୍ଥା ପାଇଁ ସେମାନଙ୍କ ଉପରେ କର୍ପୋରେଟ୍ ଲାୟାବିଲିଟି ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମାଇନିଂ କମ୍ପାନୀଗୁଡ଼ିକ ପାଇଁ ଅଫ୍-ହାଇୱେ ହୋଲ୍ଡିଂ ୟାର୍ଡ ନିର୍ମାଣ, ସେକ୍ସନ ୭୨ ଅଧୀନରେ ଗାଡ଼ି ଜବତ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ନିୟମିତ ସମୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *