ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ

ଦୁଇ ଦିନ ରତ୍ନଭଣ୍ଡାର ଗଣତିମଣତି

ଆଜି ଠାରୁ ଦୁଇ ଦିନ ବ୍ୟାପୀ ରତ୍ନଭଣ୍ଡାର ପରବର୍ତ୍ତୀ ପର୍ଯ୍ୟାୟ ଗଣତି ହେବ । ଗଣତି ସହ ନୀତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଆଜି ଓ ଆସନ୍ତାକାଲି ଗଣତିମଣତି କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ ।ସେପଟେ ଗଣତିମଣତି ପାଇଁ ପାଖାପାଖି ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ । କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟ ସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯିବ । କେବଳ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଭକ୍ତ ଫେରିବେ ।

Leave a Reply

Your email address will not be published. Required fields are marked *