କୁମ୍ଭମେଳାରେ ଦଳାଚକଟା, ୧୦ ଜଣଙ୍କ ମୃତ୍ୟୁ

କୁମ୍ଭମେଳାରେ ଦଳାଚକଟା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କୁମ୍ଭମେଳାରେ ଦଳାଚକଟା ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟଣା। ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଜୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ ଚାରି ଥର କଥା ହୋଇଥିଲେ। ଆହତମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଫୋନ କରି କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।ସୂଚନାଯୋଗ୍ୟ, ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭମେଳାର ସଙ୍ଗମ ସ୍ଥଳରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଭକ୍ତ ଆହତ ହୋଇଛନ୍ତି। କୁହାଯାଉଛି ଯେ ସ୍ନାନଘାଟ ନିକଟରେ ଭିଡ଼ ମଧ୍ୟରେ କିଛି ମହିଳା ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହି ଗୁଜବ ପ୍ରଚାର ହେବା ପରେ, ଲୋକମାନେ ଦଳାଚକଟା ହୋଇଥିଲେ। ସେପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଗୁଜବରେ ଧ୍ୟାନ ଦିଅନ୍ତୁ ନାହିଁ।

ଲୋକମାନେ ମାତା ଗଙ୍ଗାଙ୍କ ନିକଟତମ ଘାଟରେ ସ୍ନାନ କରିବା ଉଚିତ୍‌। ସଙ୍ଗମ ନୋଜ ଆଡକୁ ଯିବାକୁ ଚେଷ୍ଟା କରନାହିଁ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ନାନ ପାଇଁ ଅନେକ ଘାଟ ନିର୍ମାଣ କରାଯାଇଛି ଯେଉଁଠାରେ ସ୍ନାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଉଚିତ୍‌ ଏବଂ ବ୍ୟବସ୍ଥା କରିବାରେ ସହଯୋଗ କରିବା ଉଚିତ୍‌। ଏହା ସହିତ କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ।