ବାରାମତିରେ ବିମାନ ଦୁର୍ଘଟଣାଗ୍ରସ୍ତ
ବାରାମତିରେ ଏକ ବିମାନ ଦୁର୍ଘଟଣା ଘଟିଛି । ଟ୍ରେନିଂ ପାଇଁ ବ୍ୟବହାର ହୋଇଥିବା ୨ଟି ଆସନ ବିଶିଷ୍ଟ ବିମାନଟି ବାରାମତିର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବିମାନ ଉଡାଣ ସମୟରେ ଇଞ୍ଜିନ୍ ଖରାପ ହେବା ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ଚେଷ୍ଟା କରାଯାଇଥିଲା ।ସୂଚନାନୁଯାୟୀ, ରେଡ୍ ବାର୍ଡ ଆଭିଏସନର ଏକ ଟ୍ରେନିଂ ବିମାନ ବାରାମତି ବିମାନବନ୍ଦର ନିକଟସ୍ଥ ଗୋଜୁବାବି ଗାଁ ପାଖରେ ଜରୁରୀକାଳୀନ ଅବତରଣ କରିଛି । ପୁଣେ ଗ୍ରାମାଞ୍ଚଳ ପୋଲିସ ଏସପି ସନ୍ଦୀପ ସିଂ ଗିଲ୍ ଙ୍କ ସୂଚନା ଅନୁଯାୟୀ, ବିମାନରେ ଥିବା ଜଣେ ଟ୍ରେନିଂ ବିମାନ ଚାଳକ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ । କମ୍ ଉଚ୍ଚତାରେ ଉଡ଼ୁଥିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ କହିଥିଲେ । ଜରୁରୀକାଳୀନ ଅବତରଣ ସମୟରେ ବିମାନର ଏକ ଅଂଶ ଲାଇଟ ଖୁଣ୍ଟରେ ପିଟି ହୋଇ ଭୂମିରେ କ୍ରାସ୍ କରିଥିଲା ।ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଏହି ଘଟଣାର ଆବଶ୍ୟକୀୟ ଅନୁସନ୍ଧାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।
