ଓଡ଼ିଶାର ମାଟିତଳେ ରହିଛି ୩୩ କୁଇଣ୍ଟାଲରୁ ଅଧିକ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ
ଓଡ଼ିଶା ମାଟି ତଳେ ରହିଛି ମହଣ ମହଣ ସୁନା । କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ୩୩ କ୍ବିଣ୍ଟାଲରୁ ଅଧିକ ସୁନା ମହଜୁଦ ଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀଙ୍କ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡ଼ିହିଠାରେ, ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଓ ମୟୂରଭଞ୍ଜ ଜିଲ୍ଲାର ମଦନାସାହି-କାଞ୍ଜିଆଠାରେ ସୁନାବାହୀ ପଥର ଚିହ୍ନିତ କରାଯାଇଛି। ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାର ମଦନାସାହି-କାଞ୍ଜିଆ ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ସୁନା ସହିତ ଅନ୍ୟାନ୍ୟ ଧାତୁ ଖଣିଜ ପଦାର୍ଥର ଉପସ୍ଥିତି ମଧ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍, ରୂପା ଓ ନିକେଲର ସନ୍ଧାନ ମିଳିଛି। ଅନ୍ୟପଟେ ଦେବଗଡ଼ ଓ ସୁନ୍ଦରଗଡ଼ରେ ୨ ଦଶମିକ ୩୮୭ ମେଟ୍ରିକ୍ ଟନ୍ ରୁପା ଏବଂ କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟର ମିଳିଛି ସନ୍ଧାନ ।
