ମହିଳା ଶସକ୍ତିକରଣରେ ଓଡ଼ିଶା ମଡେଲ
ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫। ୨୫ଟି ରାଜ୍ୟର ଲକ୍ଷପତି ଦିଦିଙ୍କ ଯୋଗଦାନ। ସର୍ବାଧିକ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟିକରି ନୟାଗଡ ଜିଲ୍ଲା ରାଜ୍ୟରେ ପ୍ରଥମ। ଲକ୍ଷପତି ଦିଦି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି।

ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ। ମହିଳା ମାନଙ୍କ ଶକ୍ତି ଓ ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ। ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି। ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩ ପ୍ରତିଶତ ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ ବୋଲି ସେ କହିଥିଲେ।

