୨୮ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ, ଘୁଞ୍ଚିଲା ଶୁଣାଣି

ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆସନ୍ତା ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଆପୋସ ବୁଝାମଣା ଉଦ୍ୟମ ମଧ୍ୟ ଜାରି ରହିଛି।କେନ୍ଦ୍ରୀୟ ଜଳ ଆୟୋଗ (CWC) ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ବୈଷୟିକ ଆଲୋଚନା ଚାଲିଛି। ବିବାଦର ସମାଧାନ ଦିଗରେ ତଥ୍ୟ ଆଧାରିତ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି।ମହାନଦୀ ଜଳ ବଣ୍ଟନକୁ ନେଇ CWC ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟି ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଦିଆଯାଇଥିବା ତଥ୍ୟର ବୈଷୟିକ ବିଶ୍ଳେଷଣ କରୁଛି। ଜଳ ଉପଲବ୍ଧତା, ବ୍ୟବହାର, ଜଳ ସଂରକ୍ଷଣ କ୍ଷମତା ଏବଂ ଭବିଷ୍ୟତ ଜଳ ଆବଶ୍ୟକତା ଭଳି ବିଷୟ ଉପରେ ତଥ୍ୟ ଯାଞ୍ଚ କରାଯାଉଛି।ଉଭୟ ରାଜ୍ୟ ନିଜ ନିଜ ଚାହିଦା ଓ ଆବଶ୍ୟକତା ସମ୍ପର୍କିତ ତଥ୍ୟ CWC ନିକଟରେ ଦାଖଲ କରିଛନ୍ତି। ଏହି ତଥ୍ୟର ବିଶ୍ଳେଷଣ ପରେ ବିବାଦର ସମାଧାନ ପାଇଁ ଆଗାମୀ ଆଲୋଚନା ଆଗକୁ ବଢ଼ିବ।ଚଳିତ ବର୍ଷ ଜୁଲାଇରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳ ବିବାଦର ଆପୋସ ସମାଧାନ ନେଇ ବୈଠକ ହୋଇଥିଲା। ଉଭୟ ରାଜ୍ୟ ବୈଷୟିକ ପରାମର୍ଶ ଓ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ଆଗକୁ ବଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ।

Leave a Reply

Your email address will not be published. Required fields are marked *