ଅମିତ୍ ଶାହଙ୍କ ସହ ରାଜ୍ୟପାଳଙ୍କ ସାକ୍ଷାତ

ରାଜ୍ୟପାଳ-ଶାହା ସାକ୍ଷାତ, ଓଡ଼ିଶାର ସୁରକ୍ଷାଠୁ ବିକାଶ ଯାଏଁ ଆଲୋଚନା

ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଓଡ଼ିଶାରେ କିପରି କାର୍ଯ୍ୟକାରୀ ହେଉଛି, ସେ ସମ୍ପର୍କରେ ରାଜ୍ୟପାଳ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା, ବିଶେଷ କରି ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ସୁରକ୍ଷା ବାହିନୀର ପ୍ରସ୍ତୁତି ନେଇ ଉଭୟଙ୍କ ମଧ୍ୟରେ ସମୀକ୍ଷା ହୋଇଥିଲା ।ରାଜ୍ୟର ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ କେନ୍ଦ୍ରୀୟ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ରାଜ୍ୟରେ ପ୍ରାଥମିକ କୃଷି ଋଣ ସମିତିର କମ୍ପ୍ୟୁଟରାଇଜେସନ ଏବଂ ସମବାୟ କ୍ଷେତ୍ର ଜରିଆରେ କୃଷକମାନଙ୍କ ଆର୍ଥିକ ଉନ୍ନତି ପାଇଁ ଚାଲିଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *