ତିବ୍ବତରୁ ହଠାତ୍ ମାଡ଼ିଆସିଲା ପାଣି
ତିବ୍ବତରୁ ଆସିଥିବା ଭୟଙ୍କର ବନ୍ୟା ନେପାଳର ରସୁଆ ଜିଲ୍ଲାର ଟିମୁରେ ଓ ସ୍ୟାଫ୍ରୁବେସି ଅଞ୍ଚଳରେ ବ୍ୟାପକ ଧ୍ୱଂସ ହୋଇଛି । ଭୋଟେକୋଶୀ ନଦୀରେ ହଠାତ୍ ଜଳସ୍ରୋତ ବଢ଼ିଯିବାରୁ ମାର୍କେଟ, ସ୍ଥାନୀୟ ଘରଦ୍ବାର, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏଥିରେ ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।ରସୁଆ ଜିଲ୍ଲା ମୁଖ୍ୟାଳୟ ନିକଟରେ ବର୍ଷା ହୋଇନଥିବାରୁ ଅଚାନକ ଏତେ ବଡ଼ ବନ୍ୟା ଆସିବା ନେଇ ଅଧିକାରୀମାନେ ମଧ୍ୟ ତଦନ୍ତ କରୁଛନ୍ତି । ଟିମୁରେ ସୀମା ଅଞ୍ଚଳରେ ବନ୍ୟା ଯୋଗୁଁ ପୋଲିସ୍ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ସ୍ଥାନ ପ୍ରଭାବିତ ହୋଇଛି । କିଛି ସୁରକ୍ଷାକର୍ମୀ ନିଖୋଜ ଥିବା ସୂଚନା ମିଳିଛି । ରସୁଆ, ନୁୱାକୋଟ, ଧାଦିଙ୍ଗ, ଗୋରଖା ଓ ଚିତୱନ ଜିଲ୍ଲାର ନଦୀକୂଳ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ଏବଂ ବିପଦପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।ବନ୍ୟା ପରେ ନେପାଳ ସରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରିଛନ୍ତି । ନେପାଳ ସେନାର ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ମଧ୍ୟ ବନ୍ୟା ପରିସ୍ଥିତି ନେଇ ଜରୁରୀ ବୈଠକ ଡାକିଛନ୍ତି ।
