ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ

ବିଭିନ୍ନ ସଂସ୍ଥା ସହ ୧୮ଟି ବୁଝାମଣାପତ୍ର ସ୍ୱାକ୍ଷର

ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ରେ ଆୟୋଜିତ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬ରେ ଓଡ଼ିଶାକୁ ୧ ଲକ୍ଷ ୧୭ ହଜାର ୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏଥିପାଇଁ ବିଭିନ୍ନ ସଂସ୍ଥା ସହ ୧୮ଟି ବୁଝାମଣାପତ୍ର ବା ଏମ୍ ଓୟୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୧୧ ହଜାର ୭୪୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଓ ସଂରକ୍ଷଣ କ୍ଷମତା ଯୋଡ଼ିବାକୁ ଯୋଜନା ରହିଛି।ସୌରଶକ୍ତି, ପବନ ଶକ୍ତି, ଜଳବିଦ୍ୟୁତ୍ ସଂରକ୍ଷଣ, ବ୍ୟାଟେରୀ ଷ୍ଟୋରେଜ୍ ଓ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କୁ ଆହ୍ୱାନ ଦେବା ସହ ସ୍ଥିର ନୀତି, ସ୍ୱଚ୍ଛ ବ୍ୟବସ୍ଥା ଓ ନିର୍ଦ୍ଧାରିତ ସମୟରେ ଅନୁମତି ପ୍ରଦାନ କରାଯିବ ବୋଲି ଭରସା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଓଡ଼ିଶାର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୭୪ ପ୍ରତିଶତ ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍ ର ଅତି କମ୍ ରେ ୩୩ ପ୍ରତିଶତ ସବୁଜ ଶକ୍ତିରୁ ଯୋଗାଇବାକୁ ଯୋଜନା ରହିଛି।ରାଜ୍ୟର ବିଦ୍ୟୁତ୍ ପରିବହନ ବ୍ୟବସ୍ଥାର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ୧୫ ହଜାର ୯୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାସହ ୨୦୩୦ ସୁଦ୍ଧା ରାଜ୍ୟରେ ୧୦.୯୬ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରହିଛି।

କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଓ ବନ୍ଦରଗୁଡ଼ିକ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଥିବା କହିଛନ୍ତି।ପାରାଦୀପ, ଧାମରା ଓ ଗୋପାଳପୁରରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ସମ୍ଭାବନା ରହିଛି। ଆଗାମୀ ଦିନରେ ଓଡ଼ିଶାକୁ ଦେଶର ପ୍ରମୁଖ ସ୍ୱଚ୍ଛ ଶକ୍ତି କେନ୍ଦ୍ର ଏବଂ ସର୍ବାଧିକ ବିଦ୍ୟୁତ୍ ରପ୍ତାନି କରୁଥିବା ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ୯୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *