ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ନୂଆ ନିଷ୍ପତ୍ତି
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ ।ଦିଲ୍ଲୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନଏସ୍ ରାଜା ସୁବ୍ରମଣି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଅତିରିକ୍ତ ଦୁଇ ବର୍ଷର ସେବା ଶେଷ ହେବା ପରେ ନିୟମିତ ସେନାରେ ରହିବାକୁ ଇଚ୍ଛୁକ ଅଗ୍ନିବୀରଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ମିଳିବ । ତେବେ ଏଥିପାଇଁ ନିର୍ଦ୍ଧାରିତ ଯୋଗ୍ୟତା ଓ ଚୟନ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ ।
୨୦୨୨ ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାକୁ ନିୟମିତ ଭାବେ ମୂଲ୍ୟାଙ୍କନ କରିବା ସହ ଯୋଜନାର ସମୟାନୁସାରେ ସମୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା । ଏବେ ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ଚାରି ବର୍ଷର ସେବା ଅବଧି ପୂରଣ କରିବାକୁ ଯାଉଛି । ଏହି ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ଆଧାରରେ ମିଳିଥିବା ମତାମତକୁ ବିଚାରକୁ ନେଇ କ୍ୟାବିନେଟ୍ ଏହି ନୂଆ ବ୍ୟବସ୍ଥା କରିଥିବା କୁହାଯାଇଛି ।
