ଚାକିରି ଛାଡ଼ିଲେ ଯୁବ IPS ସି.ଏ. ରାମଦାସ
ଆଉ ଜଣେ IPS ଅଫିସରଙ୍କ ଇସ୍ତଫା । ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ପରେ ଏବେ ପ୍ରୋବେସନର ସି.ଏ. ରାମଦାସ ଛାଡ଼ିଲେ ଚାକିରି । ଜଗମୋହନ ମୀନାଙ୍କ ଇସ୍ତଫାକୁ କିଛି ଦିନ ବିତି ନଥିବା ବେଳେ, ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ସରକାରୀ ଚାକିରିରୁ ଅବ୍ୟାହତି ଚାହିଁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଓ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଟ୍ରେନିଂ ଅଧାରୁ ହିଁ ଚାକିରି ଛାଡିବା କହିଛନ୍ତି ୨୦୨୫ ବ୍ୟାଚର ଓଡ଼ିଶା କ୍ୟାଡର ଯୁବ ଆଇପିଏସ୍ ରାମଦାସ ।ଏହି ଘଟଣା ଏବେ ପ୍ରଶାସନିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ବ୍ୟାଚର ୩୩ ବର୍ଷୀୟ ଆଇପିଏସ ପ୍ରୋବେସନର ସି.ଏ. ରାମଦାସ ସରକାରଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।
