ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା : ନ୍ୟୁଜିଲ୍ୟାଣ୍ଡ ସଂସଦରେ ମଞ୍ଜୁରୀ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ନ୍ୟୁଜିଲ୍ୟାଣ୍ଡ ସଂସଦରେ ଅନୁମୋଦନ କରାଯାଇଛି। ଭାରତ ସହିତ ଚୁକ୍ତିନାମା ସପକ୍ଷରେ ୯୩ ଭୋଟ୍ ପଡ଼ିଥିବାବେଳେ ଏହା ବିରୋଧରେ ୨୯ ଭୋଟ୍ ଦିଆଯାଇଥିଲା। ଏହି ସୂଚନା ବାଣିଜ୍ୟ ଏବଂ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକଲେ ଦେଇଛନ୍ତି। ମ୍ୟାକଲେ କହିଛନ୍ତି ଯେ, ଚୁକ୍ତିନାମା ଏବଂ ଏଥିରୁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଆର୍ଥିକ ଲାଭ ପାଇଁ ସଂସଦର ଦୃଢ଼ ସମର୍ଥନ ମିଳିଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଏହା ଉପରେ ଖୁସି ପ୍ରକାଶ କରିଛନ୍ତି।ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଲୋକେ ମୋତେ କହିଥିଲେ ଯେ ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ଭବ ନୁହେଁ। କିନ୍ତୁ ଆଜି, ସେହି ଚୁକ୍ତିକୁ ସଂସଦରେ ବହୁମତ ମିଳିଛି। ଏହା ଏବେ ସତରେ ପରିଣତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ନ୍ୟୁଜିଲ୍ୟାଣ୍ଡବାସୀଙ୍କ ପାଇଁ ଅଧିକ ନିଯୁକ୍ତି ଏବଂ ଉତ୍ତମ ଆୟ ସୃଷ୍ଟି କରିବ। ଏହାର ଅର୍ଥ ହେଉଛି ୧୪୦ କୋଟି ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଦ୍ୱାରା ଭାରତରେ ଅଧିକ ନ୍ୟୁଜିଲ୍ୟାଣ୍ଡ ଉତ୍ପାଦ ବିକ୍ରି ହୋଇପାରିବ।
