‘ବାତ୍ୟା ପାଇଁ ଓଡ଼ିଶାର ୫ ଜିଲ୍ଲା ବେଶୀ ପ୍ରଭାବିତ ହୋଇପାରେ’
ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ସାଇକ୍ଲୋନ୍ ଅର୍ଣ୍ଣବ। ଏହାର ପ୍ରଭାବ ଓଡ଼ିଶାରେ ବି ପଡ଼ିବ। ବେଶୀ ପ୍ରଭାବିତ ହୋଇପାରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି। ଏନେଇ ସୂଚନା ଦେବା ସହ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ୫ ଜିଲ୍ଲାକୁ କ୍ୟାଟେଗୋରୀ-୧ରେ ରଖି ପ୍ରସ୍ତୁତି କରିଛୁ।
କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ କ୍ୟାଟେଗୋରୀ-୨ରେ ରଖାଯାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଅଭିଜ୍ଞ ଅଧିକାରୀ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରିକୁ ଯିବେ ପୂର୍ବରୁ କାମ କରିଥିବା ଓ ଅଭିଜ୍ଞତା ଥିବା ଅଧିକାରୀ।ଆନ୍ଧ୍ରକୁ ପ୍ରବେଶ ପରେ ଓଡ଼ିଶାକୁ ପ୍ରବେଶ କରିବ ବାତ୍ୟା। ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ପ୍ରବଳ ବର୍ଷା ହେବ। ଏହାପରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରି ଛତିଶଗଡ଼ ଯିବ। ଛତିଶଗଡ଼ରୁ ପୁଣି ଟର୍ଣ୍ଣ କରି ଝାଡ଼ଖଣ୍ଡ ଆଡ଼କୁ ଯିବ ସମ୍ଭାବ୍ୟ ସାଇକ୍ଲୋନ। ଛତିଶଗଡ଼କୁ ଯିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ।
ଛତିଶଗଡ଼ରେ ବର୍ଷା ହେଲେ ପାଣି ମହାନଦୀକୁ ଆସିବ। ତେଣୁ ପାଣି ରିଲିଜ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଝାଡ଼ଖଣ୍ଡରେ ବର୍ଷା ହେଲେ ମୟୂରଭଞ୍ଜ, ବାଲେଶ୍ବର ପ୍ରଭାବିତ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର।
