ଅବତରଣ ବେଳେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ବର୍ତ୍ତିଲେ ୧୮୧ ଯାତ୍ରୀ
ବେଙ୍ଗାଲୁରୁ ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା । ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିବା ଏୟାର ଇଣ୍ଡିଆ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା । ତେବେ ବିମାନଟି ସୁରକ୍ଷିତ ଅବତରଣ କରିଯାଇଛି । ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ବିମାନରୁ ଓହ୍ଲାଇଛନ୍ତି । ବିମାନବନ୍ଦରରେ ଟେଲ ଷ୍ଟ୍ରାଇକ୍ ପରେ ଯାଞ୍ଚ ପାଇଁ ଏୟାର ଇଣ୍ଡିଆ ବିମାନ ଏଆଇ ୨୬୫୧କୁ ଗ୍ରାଉଣ୍ଡେଡ କରିଦିଆଯାଇଛି । ତେଣୁ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ ହୋଇଛି ।ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ୨୬୫୧ ଏକ ଏ-୩୨୦ ସିରିଜର ନାରୋବଡି ଏୟାର ବସ୍ ବିମାନ ଟେଲଷ୍ଟ୍ରାଇକ୍ ଶିକାର ହୋଇଥିଲା । ବିମାନଟି ଟେକଅଫ ଅଥବା ଲ୍ୟାଣ୍ଡିଂ କାଳରେ ରନୱେ ସହ ଘଷି ହେବାକୁ ଟେଲ୍ ଷ୍ଟ୍ରାଇକ କୁହାଯାଏ । ତେବେ ବିମାନଟି ଟେଲ୍ ଷ୍ଟ୍ରାଇକ ହେବା ପରେ ଗ୍ରାଉଣ୍ଡେଡ୍ କରାଯାଇଛି । ଆଉ ଦିଲ୍ଲୀକୁ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଅନ୍ୟ ବିକଳ୍ପ ଯୋଗାଇ ଦେବ ବୋଲି ଟାଟା ଗ୍ରୁପ ଚାଳିତ ଏୟାରଲାଇନ୍ସ ତରଫରୁ ଆଶ୍ବାସନା ଦିଆଯାଇଛି ।
