୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡ
ଲାଲ୍ ଆତଙ୍କରେ ଥରିଥିଲା ପୂରା ବସ୍ତର। ଝୀରମ ଘାଟିରେ ଗଡ଼ିଥିଲା କଂଗ୍ରେସ ନେତାଙ୍କ ମୁଣ୍ଡ। ନିଶ୍ଚିହ୍ନ ହୋଇଯାଇଥିଲା ଛତିଶଗଡ଼ କଂଗ୍ରେସର ଶୀର୍ଷ ନେତୃତ୍ୱ। ୧୩ ବର୍ଷ ପରେ ୧୦ ମାଓବାଦୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ। ୨୦୧୩ ମେ’ ୨୫। ଛତିଶଗଡ଼ ବସ୍ତର ଜିଲ୍ଲାର ଝୀରମ ଘାଟି। କଂଗ୍ରେସର ‘ପରିବର୍ତ୍ତନ ଯାତ୍ରା’ରୁ ଫେରୁଥିଲା ନେତାଙ୍କ କାରକେଡ୍। ହଠାତ୍ ରାସ୍ତାରେ ହେଲା ବିସ୍ଫୋରଣ। ଗଛ ପକାଇ ରାସ୍ତା ବନ୍ଦ କରିଦେଲେ ମାଓବାଦୀ। ଏହାପରେ ପାହାଡ଼ ଉପରୁ ଆରମ୍ଭ ହେଲା ଅନ୍ଧାଧୁନ୍ ଗୁଳିମାଡ଼ ଓ ଗ୍ରେନେଡ୍ ଆକ୍ରମଣ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ଏହି ଭୟଙ୍କର ଆକ୍ରମଣ। ପ୍ରାୟ ୧୫୦ରୁ ଅଧିକ ମାଓବାଦୀ ଏଥିରେ ସାମିଲ ଥିଲେ।
ଏହି ଆକ୍ରମଣରେ ଛତିଶଗଡ଼ କଂଗ୍ରେସର ତତ୍କାଳୀନ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ବରିଷ୍ଠ ଆଦିବାସୀ ନେତା ତଥା ମାଓ ବିରୋଧୀ ସାଲୱା ଜୁଡୁମ ମୁଖ୍ୟ ମହେନ୍ଦ୍ର କର୍ମା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳଙ୍କ ସମେତ ମୋଟ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୩୮ ଜଣ ଆହତ ହୋଇଥିଲେ। NIA ଚାର୍ଜସିଟ୍ ଅନୁସାରେ ଏହି ଆକ୍ରମଣ ମାଓବାଦୀଙ୍କ ‘ଟ୍ୟାକ୍ଟିକାଲ୍ କାଉଣ୍ଟର ଅଫେନ୍ସିଭ୍ କ୍ୟାମ୍ପେନ୍’ର ଅଂଶ ଥିଲା ଏବଂ ମହେନ୍ଦ୍ର କର୍ମା ଥିଲେ ମୁଖ୍ୟ ଟାର୍ଗେଟ୍।ତେବେ ଘଟଣାର ୧୩ ବର୍ଷ ପରେ, ଚଳିତ ସେପ୍ଟେମ୍ବର ୫ରେ ଜଗଦଲପୁରର ସ୍ୱତନ୍ତ୍ର NIA କୋର୍ଟ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେପ୍ଟେମ୍ବର ୧୬ରେ ବିଚାରପତି ଅଜୟ ସିଂହ ରାଜପୁତ ୧୦ ଜଣଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ମୋଟ ୧୧ ଜଣ ଗିରଫ ହୋଇଥିଲେ; ଟ୍ରାଏଲ୍ ସମୟରେ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨୮ ଜଣ ଚାର୍ଜସିଟ୍ରେ ଥିଲେ ମଧ୍ୟ ଏବେ ବି ‘ୱାଣ୍ଟେଡ୍’ ଅଛନ୍ତି।
