ଓଡ଼ିଶାରେ ପ୍ରତିଷ୍ଠା ହେବ ସାଇବର କମାଣ୍ଡ ସେଣ୍ଟର
ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧ, ଅନଲାଇନ୍ ଆର୍ଥିକ ଠକେଇ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ସାଇବର ଅପରାଧର ମୁକାବିଲା ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ (O3C)। ଏହାର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ୨୦୨୬-୨୭ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ।ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ବିଭାଗର ବ୍ୟୟ ଅର୍ଥ କମିଟି (EFC) ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ସୁପାରିସ କରିଥିଲା। ସାଇବର ଅପରାଧର ପ୍ରତିରୋଧ, ଚିହ୍ନଟ, ତଦନ୍ତ ଓ ମୁକାବିଲା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ଅନୁଷ୍ଠାନିକ ବ୍ୟବସ୍ଥା ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ।ଏହି କମାଣ୍ଡ ସେଣ୍ଟର ଚାରିଟି ପ୍ରମୁଖ ଅଂଶକୁ ନେଇ ଗଠିତ ହେବ। ସେଗୁଡ଼ିକ ହେଲା ସାଇବର କ୍ରାଇମ୍ ମୁଖ୍ୟାଳୟ (CCHQ), ରାଜ୍ୟ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର (CRC) ଏବଂ ଏଆଇ ଆଧାରିତ ପ୍ରେଡିକ୍ଟିଭ୍ ପୋଲିସିଂ ଓ ଡାଟା ଆନାଲିଟିକ୍ସ ସେଣ୍ଟର (AIPPDAC)।
